ମୁତ୍ର ରଙ୍ଗ ହିଁ ଜଣାଇ ଦେଇଥାଏ ଆପଣଙ୍କ ସ୍ୱାସ୍ଥ୍ୟବସ୍ଥା । ଏପରିକି ଶରୀରରେ ଥିବା ରୋଗ ବିଷୟରେ ମୁତ୍ର ରଙ୍ଗରୁ ଆଭାସ ମିଳିଯାଇଥାଏ । ମୁତ୍ର ରଙ୍ଗ ବିଭିନ୍ନ ରୋଗର ଲକ୍ଷଣ ପ୍ରକାଶ କରିଥାଏ ।
ମୁତ୍ର ରଙ୍ଗରୁ ଜାଣନ୍ତୁ ରୋଗ
ସାଧାରଣତଃ ସ୍ୱାଭାବିକ ରଙ୍ଗଠାରୁ ମୁତ୍ରର ରଙ୍ଗ ବଦଳିବା ଲକ୍ଷଣ ଶରୀରରେ ଥିବା ରୋଗ ସମ୍ପର୍କରେ ଆଗୁଆ ସୂଚନା ଦେଇଥାଏ । ସାଧାରଣ ଭାବେ ମଣିଷ ମୂତ୍ରର ରଙ୍ଗ ଫିକା ବା ଇଶତ ହଳଦିଆ ରଙ୍ଗ ହୋଇଥାଏ ।
ଆପଣ ସୁସ୍ଥ ଥିବା ସମୟରେ ଆପଣଙ୍କ ଶରୀରର ପ୍ରତିଟି କ୍ରିୟା ଶୃଙ୍ଖଳିତ ଭାବେ ଚାଲିଥାଏ । କିନ୍ତୁ ଯେତେବେଳେ ଆପଣ ଅସୁସ୍ଥ ହୋଇପଡ଼ନ୍ତି, ବିଭିନ୍ନ ଶାରୀରିକ କ୍ରିୟା ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଥାଏ । ଶରୀର ମୁଖ୍ୟତଃ ତିନିଟି କ୍ରିୟା ଯୋଗୁଁ ସୁସ୍ଥ ରହିଥାଏ । ପୋଷଣ, ସଂଚାଳନ ଓ ବର୍ଜ୍ୟତ୍ୟାଗ । ଖାଦ୍ୟ ଗ୍ରହଣ ପରେ ଶରୀରେ ପାଚନ କ୍ରିୟା ଆରମ୍ଭ ହୋଇଥାଏ । ଏହାପରେ ଶରୀରରୁ ଅଦରକାରୀ ବର୍ଜ୍ୟ ସ୍ୱେଦ, ମଳ ଓ ମୁତ୍ର ରୂପରେ ନିଷ୍କାସିତ ହୋଇଥାଏ ।
ମୁତ୍ରର ରଙ୍ଗ ଗାଢ଼ ହଳଦିଆ ହେଉଥିଲେ…
ମୁତ୍ରର ରଙ୍ଗରୁ ଶରୀରରେ ରହିଥିବା ବିଭିନ୍ନ ରୋଗର ସୂଚନା ମିଳିଥାଏ । ଯଦି ଆପଣଙ୍କ ମୁତ୍ରର ରଙ୍ଗ ଗାଢ଼ ହଳଦିଆ ରଙ୍ଗର ହେଉଥାଏ, ଏହା ଆପଣଙ୍କ ଶରୀରରେ ହିମୋଗ୍ଲୋବିନ ହ୍ରାସ ତଥା ଭିଟାମିନ୍ ଡିର ଅଭାବର ଲକ୍ଷଣ ପ୍ରକାଶ କରିଥାଏ । ଶରୀରରେ ୟୁରୋକମ ପିଗମେଣ୍ଟ ବୃଦ୍ଧି ପାଇଲେ ମୂତ୍ରର ରଙ୍ଗ ଗାଢ଼ ହଳଦିଆ ହୋଇଯାଇଥାଏ । ସଠିକ ମାତ୍ରାରେ ପାଣି ପିଇବା ଦ୍ୱାରା ମୁତ୍ର ରଙ୍ଗ ପରିବର୍ତ୍ତନ ହୋଇଯାଇଥାଏ । ସାଧାରଣ ଭାବେ ଖାଦ୍ୟ ଖାଇବାର ଅନେକ ସମୟ ଯାଏ ପାଣି ନପିଇଲେ ମଧ୍ୟ ପାଚନ କ୍ରିୟା ଯୋଗୁ ପେଟ ଗରମ ହୋଇଯାଇଥାଏ । ଏହି କାରଣରୁ ମଧ୍ୟ ମୁତ୍ର ରଙ୍ଗ ଗାଢ଼ ହଳଦିଆ ହୋଇଯାଇଥାଏ । କିନ୍ତୁ ଉପଯୁକ୍ତ ପରିମାଣରେ ପାଣି ପିଉଥିଲେ ମଧ୍ୟ ଯଦି ଦୀର୍ଘଦିନ ଯାଏ ମୁତ୍ର ରଙ୍ଗ ଗାଢ଼ ହଳଦିଆ ହେଉଛି, ତେବେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ।
ମୁତ୍ରର ରଙ୍ଗ ପାଣି ପରି ସ୍ୱଚ୍ଛ ହେଉଥିଲେ…
ଯଦି ଆପଣଙ୍କ ମୂତ୍ରର ରଙ୍ଗ ପାଣି ପରି ସମ୍ପୂର୍ଣ୍ଣ ସ୍ୱଚ୍ଛ ହେଉଥାଏ, ତେବେ ଏହା ହେପାଟାଇଟିସ ଓ ଲିଭର ସମସ୍ୟାର ଲକ୍ଷଣ ପ୍ରକାଶ କରିଥାଏ । ଅତ୍ୟଧିକ ପଣି ପିଇବା କାରଣରୁ ମୂତ୍ରର ରଙ୍ଗ ସ୍ୱଚ୍ଛ ହୋଇଯାଇଥାଏ । କେବେକେବେ ମୁତ୍ର ସ୍ୱଚ୍ଛ ହେବା ଅତି ସାଧାରଣ କଥା । କିନ୍ତୁ ଯଦି ନିୟମିତ ଭାବରେ ମୁତ୍ର ରଙ୍ଗ ସ୍ୱଚ୍ଛ ରହୁଛି, ଆପଣ ସଚେତନ ହେବା ଆବଶ୍ୟକ ରହିଛି । ଆପଣ ଆବଶ୍ୟକତାଠାରୁ ଅଧିକ ପରିମାଣରେ ପାଣି ପିଉଥିବାର ଏହା ଲକ୍ଷଣ ପ୍ରକାଶ କରୁଛି ।
ମୁତ୍ରର ରଙ୍ଗ ଲାଲ ଓ ଗୋଲାପୀ ହେଉଥିଲେ…
ଆପଣଙ୍କ ମୁତ୍ରର ରଙ୍ଗ ଯଦି ଲାଲ୍ କିମ୍ବା ଗୋଲାପୀ ରଙ୍ଗ ରହୁଛି, ଏହା ଆପଣଙ୍କ ଶରୀରରେ ପ୍ରୋଷ୍ଟେଟ୍, କିଡନୀ ଷ୍ଟୋନ, ମୁତ୍ରାଶୟ ଓ କିଡନୀ ଟ୍ୟୁମର ରୋଗର ସୂଚନା ଦେଇଥାଏ । କଦବା କେମିତି କିଛି ଖାଦ୍ୟର ପ୍ରଭାବରେ ମୁତ୍ରର ରଙ୍ଗ ଲାଲ କିମ୍ବା ଗୋଲାପୀ ହୋଇଯାଇଥାଏ । କିନ୍ତୁ ନିୟମିତ ମୁତ୍ରର ରଙ୍ଗ ଲାଲ କିମ୍ବା ଗୋଲାପି ହେଉଥିଲେ ଆପଣ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ।
ମୁତ୍ରର ରଙ୍ଗ ନୀଳ ହେଉଥିଲେ…
ଆପଣଙ୍କ ମୁତ୍ରର ରଙ୍ଗ ଯଦି ନୀଳ ରଙ୍ଗ ହେଉଥାଏ, ଏହା କିଡନୀ ଓ ମୂତ୍ରାଶୟ ସଂକ୍ରମଣ ପରି ରୋଗର ପ୍ରାକ୍ ସୂଚନା ପ୍ରଦାନ କରିଥାଏ । ଅଧିକ ଚକୋଲେଟ୍ ଖାଇବା କାରଣରୁ ବେଳେବେଳେ ମୁତ୍ର ରଙ୍ଗ ନୀଳ ହୋଇଯାଇଥାଏ । କାରଣ ଚକୋଲେଟରେ ଥିବା ମେଥିଲିନ୍ ବ୍ଲ୍ୟୁ ଯୋଗୁ ଏପରି ହୋଇଥାଏ ।
ମୁତ୍ରର ରଙ୍ଗ ଗାଢ ଧୂସର ହେଉଥିଲେ…
ଆପଣଙ୍କ ମୁତ୍ରର ରଙ୍ଗ ଯଦି ମାଟି ପରି ଗାଢ଼ ଧୂସର ରଙ୍ଗ ହେଉଥାଏ, ତେବେ ଆଗୁଆ ସତର୍କ ହୋଇଯାନ୍ତୁ । କାରଣ ଏହା ଲିଭର ସଂକ୍ରମଣର ପ୍ରାକ୍ ସୂଚନା ପ୍ରଦାନ କରିଥାଏ । ଯଦିଓ ଶରୀରରେ ଜଳୀୟ ଅଂଶ ହ୍ରାସ ପାଇଲେ ବେଳେବେଳେ ମୁତ୍ରର ରଙ୍ଗ ଗାଢ଼ ଧୂସର ରଙ୍ଗ ହୋଇଯାଇଥାଏ ।